ସପ୍ତମ ତୂରୀ ବାଦନ
15ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା,
“ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର
ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି,
ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ।”
16ସେଥିରେ ଈଶ୍ବରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ବରଙ୍କୁ ପ୍ରଣାମ କରି କହିଲେ,
17“ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର,
ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ,
କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି
ରାଜତ୍ୱ ଗ୍ରହଣ କରିଅଛ।
18ଅଣଯିହୁଦୀମାନେ କ୍ରୁଦ୍ଧ ହୋଇଥିଲେ,
କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା,
ପୁଣି, ମୃତମାନଙ୍କ ବିଚାର କରିବା ସମୟ,
ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ
ଏବଂ ତୁମ୍ଭ ନାମର ଭୟକାରୀ,
ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର,
ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା।”
19ସେତେବେଳେ ସ୍ୱର୍ଗରେ ଥିବା ଈଶ୍ବରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମ-ସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜ୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା।


