ଏକ ନାରୀ ଏବଂ ପ୍ରକାଣ୍ଡ ସର୍ପ

1ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟ ପରିଧାନ କରିଥିବା ଜଣେ ସ୍ତ୍ରୀଲୋକ, ଏବଂ ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ।

2ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ। 3ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲାଲ୍ ରଙ୍ଗର ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି, ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ। 4ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା। 5ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ, ଆଉ ତାହାଙ୍କ ସନ୍ତାନ ଈଶ୍ବର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲେ। 6ପୁଣି, ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ଦୌଡ଼ି ପଳାଇଗଲେ, ସେଠାରେ ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ବରଙ୍କ ନିୟନ୍ତ୍ରଣରେ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା।