ପ୍ରଥମ ପଶୁ
1ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ବରନିନ୍ଦାସୂଚକ ବିଭିନ୍ନ ନାମ। 2ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା। 3ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ, 4ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରିପାରେ? 5ସେହି ପଶୁକୁ ଅହଙ୍କାର ଓ ଈଶ୍ବରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା। 6ସେଥିରେ ସେହି ପଶୁ ମୁଖ ଫିଟାଇ ଈଶ୍ବରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା। 7ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା। 8ଜଗତର ସୃଷ୍ଟିଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ ପ୍ରଣାମ କରିବେ।
9ଯାହାର କର୍ଣ୍ଣ ଅଛି, ସେ ଶୁଣୁ।
10“କେହି ଯଦି ବନ୍ଦୀ କରିନିଏ,
ତାହାହେଲେ ସେ ବନ୍ଦୀ ହୋଇଯିବ;
କେହି ଯଦି ଖଡ୍ଗ ଦ୍ୱାରା ବଧ କରେ,
ତାହାହେଲେ ତାହାକୁ ନିଶ୍ଚୟ ଖଡ୍ଗ ଦ୍ୱାରା ବଧ କରାଯିବ।”
ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।


