ଦ୍ୱିତୀୟ ପଶୁ
11ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା। 12ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ। 13ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ। 14ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ। 15ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା। 16ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ, 17ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ। 18ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ଛଅ ଶହ ଛଷଠି।


