ମେଷଶାବକ ଏବଂ ୧, ୪୪,୦୦୦ ଭକ୍ତ

1ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସିୟୋନ ପର୍ବତ ଉପରେ ମେଷଶାବକ ଆଉ ଯେଉଁମାନଙ୍କ କପାଳରେ ତାହାଙ୍କ ନାମ ଓ ତାହାଙ୍କ ପିତାଙ୍କ ନାମ ଲିଖିତ ଥିଲା, ଏପରି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କୁ ତାହାଙ୍କ ସହିତ ଦଣ୍ଡାୟମାନ ଥିବାର ଦେଖିଲି। 2ପୁଣି, ମୁଁ ସ୍ୱର୍ଗରୁ ବହୁବନ୍ୟାଜଳ ଓ ମହାବଜ୍ରନାଦ ତୁଲ୍ୟ ଗୋଟିଏ ସ୍ୱର ଶୁଣିଲି; ଯେଉଁ ସ୍ୱର ମୁଁ ଶୁଣିଲି, ତାହା ବୀଣାବାଦକମାନଙ୍କ ବୀଣାର ଶଦ୍ଦ ପରି। 3ସେମାନେ ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାନ କଲେ, ପୁଣି, ପୃଥିବୀରୁ କ୍ରୀତ ସେହି ଏକ ଲକ୍ଷ ଚୌରାଳିଶ ହଜାର ଲୋକଙ୍କ ବିନା ଆଉ କେହି ସେ ଗୀତ ଶିଖି ପାରିଲେ ନାହିଁ। 4ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି; 5ସେମାନଙ୍କ ମୁଖରେ କୌଣସି ମିଥ୍ୟାକଥା ନାହିଁ, ସେମାନେ ନିର୍ଦ୍ଦୋଷ।