ତିନି ଦୂତଙ୍କର ସମ୍ବାଦ
6ପରେ ମୁଁ ଆଉ ଜଣେ ଦୂତଙ୍କୁ ଆକାଶର ମଧ୍ୟଭାଗରେ ଉଡ଼ିବାର ଦେଖିଲି, ସେ ପୃଥିବୀନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ପ୍ରାପ୍ତ ହୋଇ ଉଚ୍ଚସ୍ୱରରେ କହିଲେ, 7ଈଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ଗୌରବ ଦିଅ, କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ, ପୁଣି, ଯେ ଆକାଶ, ପୃଥିବୀ, ସମୁଦ୍ର ଓ ନିର୍ଝରିଣୀ ସମୂହ ସୃଷ୍ଟି କରିଅଛନ୍ତି, ତାହାଙ୍କୁ ପ୍ରଣାମ କର। 8ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି। 9ସେମାନଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ତୃତୀୟ ଦୂତ ଆସି ଉଚ୍ଚସ୍ୱରରେ କହିଲେ, ଯଦି କେହି ସେହି ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରେ ପୁଣି, ଆପଣା କପାଳରେ କି ହାତରେ ତାହାର ଚିହ୍ନ ଗ୍ରହଣ କରେ, 10ତେବେ ସେ ମଧ୍ୟ, ଅମିଶ୍ରିତ ଭାବେ ପ୍ରସ୍ତୁତ କରାଯାଇଥିବା ଈଶ୍ବରଙ୍କ କୋପରୂପ ସୁରା ପାନ କରିବ, ପୁଣି, ପବିତ୍ର ଦୂତଗଣଙ୍କ ଓ ମେଷଶାବକଙ୍କ ସାକ୍ଷାତରେ ଅଗ୍ନି ଓ ଗନ୍ଧକ ଦ୍ୱାରା ଯନ୍ତ୍ରଣା ପ୍ରାପ୍ତ ହେବ। 11ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ। 12ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ। 13ପୁଣି, ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି, ସେମାନେ ଧନ୍ୟ; ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ।


