ଈଶ୍ବରଙ୍କ କ୍ରୋଧର ସପ୍ତ ପାତ୍ର
1ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ବରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ। 2ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା। 3ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ। 4ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହିସବୁ ରକ୍ତ ହୋଇଗଲା। 5ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି,
“ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ,
ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ;
6ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ,
ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”
7ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି,
“ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର,
ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ।”
8ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। 9ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ବରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ-ପରିବର୍ତ୍ତନ କଲେ ନାହିଁ। 10ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ; 11ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ବରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ। 12ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା। 13ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟି ଅପବିତ୍ର ଆତ୍ମା ବାହାରିଲେ; 14ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ବରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି। 15ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; “ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଗ୍ନ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ।” 16ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ।


