ମେଷଶାବକଙ୍କ ବିବାହ ଭୋଜ
5ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା,
“ହେ ଈଶ୍ବରଙ୍କ ଦାସମାନେ,
ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ,
ତାହାଙ୍କର ପ୍ରଶଂସା କର।”
6ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନ ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି,
“ହାଲ୍ଲିଲୂୟା,
କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ବର ରାଜତ୍ୱ ଗ୍ରହଣ କରିଅଛନ୍ତି।
7ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ,
ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ,
କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ,
ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।
8ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା;
ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧାର୍ମିକ କର୍ମ।”
9ସେତେବେଳେ ସେ ମୋତେ କହିଲେ, “ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ବରଙ୍କ ସତ୍ୟ ବାକ୍ୟ।”
10ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, “ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇମାନେ, ସେମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର।”


