ଶୟତାନର ଅନ୍ତିମ ପରାଜୟ
7ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ; 8ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ। 9ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା। 10ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ।


