ଇସ୍‌ରାଏଲର୍ ମଇମା

1ଉଟା, ଉଜଲ୍ ଉଆ, କାଇକେ ବଇଲେ ତମର୍ ଉଜଲ୍ କେଟ୍‌ଲା ଆରି ସବୁବେଲର୍ ମାପ୍‌ରୁର୍ ଉଜଲ୍ ତମର୍ ଲଗେ ଆଇଲା ଆଚେ । 2କାଇକେ ବଇଲେ, ଦେକା, ଆନ୍ଦାର୍ ପୁର୍‌ତିବିକେ ଡାବି ଆଚେ ଆରି ବିଙ୍ଗ୍ ଆନ୍ଦାର୍ କୁଟୁମ୍‌କେ ଡାବି ଆଚେ; ମାତର୍ ତମର୍ ଉପ୍‌ରେ ସବୁବେଲର୍ ମାପ୍‌ରୁ ଦେକା ଅଇସି ଆରି ତାର୍ ଉଜଲ୍ ତମର୍ ଲଗେ ଡିସ୍‌ସି । 3ଆରି, ଅଲ୍‌ଗା ଦେସର୍ କୁଟୁମ୍ ଆରି ରାଜାମନ୍ ତମର୍ ବେଲ୍ ଉଦ୍‌ଲା ଉଜଲ୍ ଲଗେ ଆଇବାଇ । 4ତମେ ଚାରିବେଡ୍‌ତି ଦେକା, ସେ ସବୁ ଲକ୍ ଏକ୍‌ଜୁଟ୍ ଅଇଲାଇନି, ସେମନ୍ ତମର୍ ପାକେ ଆଇଲାଇନି; ତମର୍ ପିଲାମନ୍ ଦୁରେ ଅନି ଆଇବାଇ ଆରି ତମର୍ ଟକିମନ୍ କାକେ ପାଇ କରି ଆଇବାଇ । 5ସେଡ୍‌କିବେଲେ ତମେ ସେଟା ଦେକି ଜନ୍ ଉଜଲ୍ ପାରା ଅଇସା ଆରି ତମର୍ ମନ୍ ଦକ୍‌ଦକ୍ ଅଇ ସାର୍‌ଦା ଅଇସି; କାଇକେ ବଇଲେ ସମ୍‌ଦୁରର୍ ସବୁ ଜିନିସ୍ ତମର୍ ବାଟେ ବାଉଡାବାଇ, ବିନ୍ ଦେସର୍ ଲକ୍‌ମନର୍ ଦନ୍ ସଁପ୍‌ତି ତମର୍ ପାକେ ଆଇସି । 6ବପୁ ରଇଲା ଉଁଟ୍‌, ମିଦିଅନ୍ ଆରି ଏପାର୍ ବେଣ୍ଡିଆ ଉଟ୍ ମନ୍‌ ଆସି ବର୍‌ତି ଅଇ ଜିବାଇ; ସେସବୁ ସିବା ଦେସେ ଅନି ଆଇବାଇ; ସେମନ୍ ସୁନା ଆରି କୁନ୍ଦୁରୁ ଚିକନ୍ ଆନ୍‌ବାଇ ଆରି ସବୁବେଲର୍ ମାପ୍‌ରୁର୍ ମଇମା ପର୍‌ଚାର୍ କର୍‌ବାଇ । 7କେଦାରର୍ ସବୁ ମେଣ୍ଡା ରାସି ତମର୍ ପାକେ ରୁଣ୍ଡ୍‌ ଅଇବାଇ, ନବାଅତର୍ ମେଣ୍ଡାମନ୍ ତମର୍ ସେବା କର୍‌ବାଇ; ସେମନ୍ ସିଦ୍ ଅଇକରି ମର୍ ଜଗିଅବେଦି ଉପ୍‌ରେ ଆଇବାଇ, ଆରି ମର୍ ମନ୍ଦିର୍‌କେ ନିମାନ୍‌ କରି ସଜାଇବି । 8ବାଦଲ୍ ପାରା ଆରି ନିଜର୍ ନିଜର୍ ଗୁଡାଇ ଉଡି ବୁଲି ଆଇବା ପରୁଆମନର୍ ପାରା ଆଇଲାନି, ଏ ଲକ୍‌ମନ୍ କେ ? 9ସମ୍‌ଦୁର୍ ମଜାଇ ରଇଲା ଦେସର୍ ଲକ୍‌ମନ୍ ମକେ ଜାଗ୍‌ବାଇ, ଆରି ତର୍‌ସିସର୍ ଜାଜ୍‌ସବୁ ଦାପ୍‌ରେ ଆସି ପର୍‌ତୁମ୍ ନିଜର୍ ନିଜର୍ ରୁପା ଆରି ସୁନା ନେଇ, ତମର୍ ପିଲାମନ୍‌କେ ଦୁରିକେ ଅନି ଆନି, ତମର୍ ପର୍‌ମେସର୍ ସବୁବେଲର୍ ମାପ୍‌ରୁର୍ ନାଉଁର୍ ପାଇଁ ଆରି ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁର୍‌ ପାଇଁ ଆଇସି, କାଇକେ ବଇଲେ ସେ ତମ୍‌କେ ମଇମା କରିଆଚେ । 10ଆରି, ବିନ୍ ଦେସର୍ ଲକ୍‌ମନ୍‌ ତମର୍ ପାଚୁରି ତିଆର୍ କର୍‌ବାଇ ଆରି ସେମନର୍ ରାଜାମନ୍ ତମର୍ ସେବା କର୍‌ବାଇ; କାଇକେ ବଇଲେ ମୁଇଁ ନିଜର୍ ରିସା ସଙ୍ଗ୍ ତମ୍‌କେ ମାର୍‌ଲି, ମାତର୍ ନିଜର୍ ଲାଡ୍‌ମୁଆଁସ୍ ସଙ୍ଗ୍ ମୁଇଁ ତମ୍‌କେ ଆଦର୍ କରିଆଚି । 11ବିନ୍ ଦେସର୍ ଲକର୍ ଦନ୍ ସଁପତି ଆରି ତାର୍ ସଙ୍ଗେ ସେମନର୍ ରାଜାମନ୍ ବନ୍ଦି କରି ଜେମ୍‌ତିକି ତମର୍ ଲଗେ ଆନ୍‌ବାଇ, ଏଟାର୍ ପାଇଁ ତମର୍ ନଗରର୍ ଦୁଆର୍ ସବୁବେଲେ ମେଲା ଅଇ ରଇସି, ରାତିଦିନ୍ ଉଗ୍‌ଡା ଅଇ ରଇସି ବନ୍ଦ୍ ନ ଅଏ । 12କାଇକେ ବଇଲେ ଜନ୍ ଦେସ୍ ଆରି ରାଇଜ୍‌ ତମର୍ ସେବା ନ କରେ, ସେ ବିନସ୍‌ଟ ଅଇସି, ଉଁ, ସେ ଦେସ୍‌ ସବୁ ପୁରା ପୁରି ବାବେ କୁରୁପ୍‌ନାସ୍ ଅଇ ଜାଇସି । 13ଲିବାନନର୍ ମଇମା ତମର୍ ଲଗେ ଆଇସି, ଦେବ୍‌ଦାରୁ, ତିଦର୍, ତାସୁର୍ ଗଚ୍ ଏକ୍‌ଜୁଟ୍ ଅଇ ମର୍ ସୁକଲ୍ ଜାଗାଇ ସେବା କର୍‌ବାକେ ଆଇବାଇ, ଆରି ମୁଇ ନିଜର୍ ପାଦ୍ ସଙ୍ଗଇବା ଜାଗାଇ ମଇଁମା କର୍‌ବି । 14ଆରି, ଜନ୍ ଲକ୍‌ମନ୍ ତମ୍‌କେ ଦୁକ୍ ଦେଲାଇ, ସେମନର୍ ପିଲାମନ୍ ଇନ୍‌ ଅଇ ତମର୍ ଲଗେ ଆଇବାଇ ଆରି ଜନ୍‌ ଲକ୍‌ମନ୍ ତମ୍‌କେ ନିସାର୍ କଲାଇ ଆଚତ୍‌, ସେ ଲକ୍‌ମନ୍ ତର୍ ପାଦ୍‌ତଲେ ଜୁଆର୍ କର୍‌ବାଇ; ଆରି, ସେମନ୍ ତକେ ସବୁବେଲର୍ ମାପ୍‌ରୁର୍ ନଅଁରି ବଲି ନାମ୍‌ବାଇ, ଇସ୍‌ରାଏଲର୍ ସୁକଲ୍ ସବୁବେଲର୍ ମାପ୍‌ରୁ ସିଅନ୍ ବଲି ଉଡ୍‌ରା କର୍‌ବାଇ । 15ତୁଇ ଚାଡି ରଇବା ଆରି ଗିନ୍ ଅଇବାର୍ ଲାଗି କେ ମିସା ତର୍ ବାଟେ ଆସ୍ ଜା ନ ଅତ୍‌, ତାର୍ ବାଦୁଲେ ମୁଇଁ ତକେ ସବୁଦିନର୍ ପାଇଁ ମଇମା ଆରି ଆଇବା ପିଡି ଜାକ ସାର୍‌ଦା ପାରା କର୍‌ବାଇ । 16ବିନ୍ ଦେସର୍ ଗସ୍‌ଟିମନ୍ ଆରି ରାଜାମନ୍ ତମର୍ ଲାଲନ୍ ପାଲନ୍‌ କର୍‌ବାଇ, ଜେନ୍‌ତିକି ନିଜର୍ ଆୟା ତାର୍ ପିଲାକେ ଜତନ୍ କର୍‌ସି ସେ ରକାମ୍ ; ମୁଇଁ ଜେ ସବୁବେଲର୍ ମାପ୍‌ରୁ ତର୍ ଉଦାର୍ କାରିଆ ଆରି ତର୍ ମୁକ୍‌ତି ଦାତା, ଜାକୁବର୍ ବପୁ, ଏଟା ତମେ ଜାନାସ୍‌ । 17ମୁଇଁ ପିତଲର୍ ବାଦୁଲେ ସୁନା ଆନ୍‌ବି ଆରି ଲୁଆର୍ ବାଦୁଲେ ରୁପା, ଗଚର୍ ବାଦୁଲେ ପିତଲ୍ ଆରି ପାକ୍‌ନା ବାଦୁଲେ ଲୁଆ ଆନ୍‌ବି; ଆରି, ମୁଇଁ ତର୍ ମୁକିଆ ଜାଗାଇ ସାନ୍ତି ଆନ୍‌ବି ଆରି ତର୍ ଅଦିକାର୍ ଜାଗାଇ ଦରମ୍ ଲକ୍‌କେ ବାଚ୍‌ବି। 18ତମର୍ ଦେସ୍‌ ଲଗେ କାରାପ୍‌ କାତା ଆରି ତମର୍ ସନ୍ଦି ଲଗର୍ ପାଚୁରି ବାଙ୍ଗାଇବା କାତା ଆରି ବିନାସର୍ କର୍‌ବା କାତା ଆରି ସୁନ୍‌ବାକେ ନ ଜାଏ; ମାତର୍ ତମେ ନିଜର୍ ପାଚୁରି ସବୁର୍ ନାଉଁ ଉଦାର୍‌ ଆରି ନିଜର୍ ନଗର୍ ଦୁଆର୍ ସବୁର୍ ନାଉଁ ପର୍‌ସଙ୍ଗ୍‌ସା ସଙ୍ଗଇସି । 19ଦିନ୍‌ ବେଲେ ତମର୍ ଉଜଲ୍ ନ ରଏ, ରାତି ବେଲେ ଉଜଲ୍ ଦେବାକେ ଜନ୍ ତମ୍‌କେ ଉଜଲ୍ ନ ଦେଏ; ମାତର୍ ସବୁବେଲର୍ ମାପ୍‌ରୁ ତମର୍ ପାଇଁ ସବୁବେଲର୍ ପାଇଁ ଉଜଲ୍ ଆରି ତମର୍ ପର୍‌ମେସର୍ ତମର୍ ମଇମା ପାରା ଅଇସି । 20ତମର୍ ବେଲ୍ ଆରି ନ ବୁଡେ, କି ତମର୍ ଜନ୍ ନିଜ୍‌କେ ଉଜଲ୍ ନ ଦେଏ; କାଇକେ ବଇଲେ ସବୁବେଲର୍ ମାପ୍‌ରୁ ତମର୍ ସବୁବେଲେ ଉଜଲ୍ ପାରା ଅଇସି ଆରି ତମର୍ ଦୁକର୍ ଦିନ୍ ସାରି ଜାଇସି । 21ଆରି ତମର୍ ଲକ୍‌ମନ୍ ସବୁ ଦରମ୍ କାମ୍ କର୍‌ବାକେ , ସେମନ୍ ସବୁଦିନର୍ ପାଇଁ ଦେସ୍ ଅଦିକାର୍ କର୍‌ବାଇ,ସେମନ୍ ମର୍‌ ମଇମା କର୍‌ବାକେ ମର୍ ରପି ଅଇଲା ଗଚ୍ ଆରି ମର୍ ଆତ୍ ସଙ୍ଗ୍ କର୍‌ବା କାମ୍ । 22ଉନା ଲକ୍ ବେସି ଲକ୍ ଅଇବାଇ ଆରି ଦୁର୍‌ବଲ୍ କୁଟୁମ୍ ବେସି ବପୁ କୁଟୁମ୍ ଅଇବାଇ; ମୁଇଁ ସବୁବେଲର୍ ମାପ୍‌ରୁ ସମାନ୍ ବେଲାଇ ଏଟା ଦାପ୍‌ରେ ଗଟାଇବି ।