ଗଟେକ୍ ମାଆର୍ ଗୁଆରି
(ମାର୍କ ୧୦:୩୫-୪୫)
20ସେଡିକିବେଲେ ଜେବଦିର୍ ମାଇଜି ତାର୍ ଦୁଇଟା ପିଲାମନର୍ ସଙ୍ଗ୍ ଜିସୁର୍ଲଗେ ଆସି ତାକେ ଜୁଆର୍କରି, ଗଟେକ୍ ବିସଇ ମାଙ୍ଗ୍ଲା ।
21ଜିସୁ ତାକେ ପାଚାର୍ଲା, “ତୁଇ କାଇଟା ମନ୍ କଲୁସ୍ନି ?” ସେ କଇଲା, “ଜେଡେବଲ୍ ତମେ ତମର୍ ରାଇଜେ ରାଜା ଅଇସା, ମର୍ ଏ ଦୁଇଟା ପିଲାମନ୍କେ ତମର୍ ଡେବ୍ରି ବାଟେ ଆରି ଉଜା ବାଟେ ବସାଇବି ବଲି ମକେ କାତା ଦିଆ ।”
22ଜିସୁ ଜେବଦିର୍ ପିଲାମନ୍କେ କଇଲା, “ତମେ କାଇଟା ମାଗ୍ଲାସ୍ନି ସେଟା ବୁଜି ନାପାର୍ଲାସ୍ନି । ମୁଇ ଜନ୍ ଦୁକ୍ପୁରୁନ୍ ମୁତାର୍ ପାନି କାଇବାର୍ ଗାଲିନି, ତମେ କାଇ ପାରାସ୍ କି ?” ସେମନ୍ “ଉଁ” ବଲି କଇଲାଇ ।
23ଜିସୁ ସେମନ୍କେ କଇଲା, “ତମେ, ମର୍ ମୁତାର୍ ପାନି କାଇଲେ କାଇପାରାସ୍ । ମାତର୍ ମର୍ ଉଜା ବାଟେ ଆରି ଡେବ୍ରି ବାଟେ କେ ବସିପାରେ ସେଟା ବାଚ୍ବାକେ ମର୍ ଅଦିକାର୍ ନାଇ । ଜନ୍ ଲକ୍ମନର୍ ପାଇ ମର୍ ବାବା ସେ ଜାଗା ତିଆର୍ କଲା ଆଚେ, ସେଟା ସେମନର୍ ପାଇ ଆକା ।”
24ବିନ୍ ସିସ୍ମନ୍ ଜେଡେବେଲ୍ ଏ କାତା ସୁନ୍ଲାଇ, ସେ ଦୁଇ ବାଇର୍ ଲାଗି ବେସି ରିସା ଅଇଗାଲାଇ । 25ଜିସୁ ସିସ୍ମନ୍କେ ଗଟେକ୍ଟାନେ ଟୁଲ୍କରି କଇଲା, “ତମେତା ଜାନାସ୍ ଏ ଦୁନିଆର୍ ରାଜାମନ୍ ବିନ୍ ଲକ୍ମନ୍କେ ନିଜର୍ ଅଦିକାର୍ କରିରଇବାଇ । ବଡ୍ ବଡ୍ ନେତାମନ୍ ମିସା ବିନ୍ ଲକ୍ମନ୍କେ ସାସନ୍ କର୍ବାଇ । 26ମାତର୍ ତମେ ସେନ୍ତାର୍ ଉଆନାଇ । ତମର୍ ବିତ୍ରେ ଗଟେକ୍ ଲକ୍ ବଡ୍ ଅଇବାକେ ମନ୍ କଲାନି ବଇଲେ, ସେ ସବୁଲକର୍ ସେବା କର୍ବାର୍ ଆଚେ । 27ତମର୍ ବିତ୍ରେ ଜେ ମୁକିଅ ଅଇବାକେ ମନ୍ କଲାସ୍ନି, ସେ ବିନ୍ ଲକର୍ ଗତିଦାଙ୍ଗ୍ଡା ପାରା ଅଇ ସେମନର୍ ସେବା କର । 28ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”


