ଆଦିବାଗ୍ ଚାସ୍ କରୁମନର୍ ବିସଇ
(ମାର୍କ ୧୨:୧-୧୨; ଲୁକ୍ ୨୦:୯-୧୯)
33ଜିସୁ କଇଲା, “ଆରି ଗଟେକ୍ କାତା ସୁନା, ଗଟେକ୍ ସାଉକାର୍ ତାର୍ ଜମିଟାନେ ଅଙ୍ଗୁର୍ ଚାସ୍ କରିରଇଲା । ତେଇ ଚାରିବେଟ୍ତି ବାଡ୍ ବୁନ୍ଲା ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ଆରି ଜାଗୁଆଲିର୍ ପାଇ ଗଟେକ୍ ମାଚା ମିସା ତିଆର୍ କରିଦେଲା । ତାର୍ ପଚେ ସେ ଜମି, ଚାସିମନ୍କେ ଆଦିବାଗ୍ ଇସାବେ ଦେଇକରି, ସାଉକାର୍ ବିଦେସେ ଉଟିଗାଲା ।”
34ଅଙ୍ଗୁର୍ ତଲ୍ବାବେଲେ ସେ ସାଉକାର୍ ତାର୍ ଦାଙ୍ଗ୍ଡାମନ୍କେ ନିଜର୍ ଆଦିବାଗ୍ ମାଙ୍ଗ୍ବାକେ ଚାସିମନର୍ ଲଗେ ପାଟାଇଲା । 35ଚାସିମନ୍ ସେ ଦାଙ୍ଗ୍ଡାମନ୍କେ ଦାରି, ଗଟେକ୍ ଲକ୍କେ ମାର୍ଲାଇ, ଆରି ଗଟେକ୍ ଲକ୍କେ ମରାଇଲାଇ, ଆରି ଗଟେକ୍ ଲକ୍କେ ପାକ୍ନାସଙ୍ଗ୍ ମାରିପାକାଇଲାଇ । 36ଏଟାର୍ ପାଇ ଜମି ସାଉକାର୍ ଆଗର୍ତେଇଅନି ଅଦିକ୍ ଗତିଦାଙ୍ଗ୍ଡାମନ୍କେ ପାଟାଇଲା । ବାଗ୍ ଚାସିମନ୍ ସେମନ୍କେ ମିସା ସେନ୍ତାରିସେ କଲାଇ । 37ସାରାସାରି ପଚେ ପଦା ସାଉକାର୍ ଚାସିମନର୍ଟାନେ ତାର୍ପିଲାକେ ପାଟାଇଲା । ସେ ବାବ୍ଲା, ସେମନ୍ ମର୍ ପିଲାକେ ବାଦିଅରେ ନାମ୍ବାଇ ।
38ମାତର୍ ଚାସିମନ୍ ସାଉକାରର୍ ପଅକେ ଦେକିକରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍ ପିଲା ! ଆସା ଆକେ ମିସା ମାରିପାକାଉ । ଏନ୍ତାର୍ କଲେ ଆକା ସାଉକାରର୍ ଦନ୍ ଆମର୍ଟା ଅଇସି ।” 39ଏନ୍ତାରି କଇକରି ସେମନ୍ ତାକେ ଜମିତେଇଅନି ଦାରି ବାର୍କରାଇ, ବାଇରେ ନେଇ ମାରି ମରାଇଦେଲାଇ ।
40ଜିସୁ ପାଚାର୍ଲା, “ଜେଡେବେଲ୍ ଜମି ସାଉକାର୍ ଆଇସି ସେ ଚାସିମନ୍କେ କାଇଟା କର୍ସି ?”
41ସେମନ୍ କଇଲାଇ “ବଦ୍ମାସ୍ମନ୍କେ ମାରି ମରାଇସି । ଆରି ଜନ୍ ଚାସିମନ୍ ସମାନ୍ ବେଲାଇ ତାର୍ ଆଦିବାଗ୍ ଦେବାଇ, ସେ ଜମି ସେମନର୍ ଆତେ ଜିମା ଦେଇସି ।”
42ଜିସୁ ସେମନ୍କେ କଇଲା, “ଏ ସାସ୍ତରର୍ କାତା କାଇ କେବେ ତମେ ପଡାସ୍ ନାଇ କି ?
“ଗର୍ବାନ୍ଦୁମନ୍ ଜନ୍ ପାକ୍ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ,
ସେଟାସେ ଗର୍ କନର୍ ମୁକିଅ ପାକ୍ନା ଅଇଲା ।
ନିଜେ ମାପ୍ରୁଆକା ଏଟା କଲା ଆଚେ ।
ତାର୍ କାମ୍ କେତେକ୍ କାବାଅଇଜିବା କାମ୍ !”
43ଜିସୁ ଆରି କଇଲା, “ସେଟାର୍ ପାଇ ତମ୍କେ କଇଲିନି, ପର୍ମେସରର୍ ରାଇଜେ ପୁର୍ବା ଅଦିକାର୍ ତମର୍ତେଇଅନି ଦାରିଜିବାଇ ଆରି ଜନ୍ ଦଲ୍ ଏ ରାଇଜର୍ ନିମାନ୍ ପଲ୍ ଦେକାଇ ପାର୍ବାଇ, ସେମନ୍କେ ସେଟା ଦିଆଅଇସି ।”
44ଆରି ଜେ ଏ ପାକ୍ନା ଉପ୍ରେ ଅଦର୍ସି, ସେ କଣ୍ଡ୍ କଣ୍ଡ୍ ଅଇଜାଇସି । ଆରି ଏ ପାକ୍ନା ଜାର୍ ଉପ୍ରେ ଅଦର୍ସି, ସେଟା ତାକେ ଚାପି କରି ଗୁଣ୍ଡ୍ କରି ଦେଇସି ।
45ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ଏ କାତା ସୁନି, ଜିସୁ ସେମନ୍କେ ଦେକାଇ କରି କଇଲାନି ବଲି ବୁଜିପାର୍ଲାଇ । 46ସେଟାର୍ ପାଇ ସେମନ୍ ତାକେ ବାନ୍ଦାଇ ନେବାକେ ଚେସ୍ଟା କଲାଇ, ମାତର୍ ଲକ୍ମନ୍କେ ଡରି ସେମନ୍ ସେଟା କରି ନାପାର୍ଲାଇ, କାଇକେବଇଲେ ଲକ୍ମନ୍ ଜିସୁକେ ଗଟେକ୍ ବବିସତ୍ବକ୍ତା ବଲି ମନେ ବାବ୍ତେରଇଲାଇ ।


