ସାରାସାରିର୍ ବିଚାର୍
31ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି, 32ସବୁ ଜାତିର୍ ଲକ୍ ମର୍ ମୁଆଟେ ଟୁଲ୍ ଅଇବାଇ । ସେଡ୍କି ବେଲା ଗଉଡ୍ ଜେନ୍ତି ମେଣ୍ଡା ଆରି ଚେଲିମନ୍କେ ବେଗ୍ଲାଇସି, ସେନ୍ତି ନର୍ପିଲା ମୁଇ ଲକ୍ମନ୍କେ ଦୁଇ ଦଲ୍ କରି ବାଗ୍ କର୍ବି । 33ଦରମ୍ ଲକ୍ମନ୍କେ ଉଜା ବାଟେ ଆରି ବିନ୍ ଲକ୍ମନ୍କେ ମର୍ ଡେବ୍ରି ବାଟେ ସଙ୍ଗଇବି । 34ତାର୍ ପଚେ ମର୍ ଉଜାବାଟେ ରଇଲା ଲକ୍ମନ୍କେ ମୁଇ କଇବି, “ଆସା, ତମ୍କେ ମର୍ ବାବା ଆସିର୍ବାଦ୍ କଲାଆଚେ । ଦୁନିଆ ତିଆର୍ଅଇଲା ବେଲେଅନି ଜନ୍ ରାଇଜ୍ ତମର୍ ପାଇ ତିଆର୍ ଅଇଲା ଆଚେ, ଆସା, ତେଇ ଜାଇ ପୁରା । 35ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ । 36ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।”
37ଦରମ୍ ଲକ୍ମନ୍ କଇବାଇ, “ମାପ୍ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ ? 38କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ ? 39କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ ?” 40ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
41ତାର୍ପଚେ ଡେବ୍ରିବାଟେ ବସି ରଇବା ଲକ୍ମନ୍କେ ମୁଇ କଇବି “ଏଇ ସାଇପ୍ ପାଇରଇବା ଦଲର୍ ଲକ୍ମନ୍ ! ମର୍ ମୁଆଟେ ରୁଆନାଇ । ସଇତାନ୍ ଆରି ତାର୍ ସଙ୍ଗ୍ ରଇଲା ଦୁତ୍ମନର୍ ପାଇ, ସବୁବେଲେ ଲାଗି ରଇବା ଜଇକୁଣ୍ଡ୍ ତିଆର୍ ଅଇଲାଆଚେ । ତେଇ ଜାଆ ! 42ମୁଇ ବୁକେ ରଇଲି, ତମେ ମକେ କାଇବାକେ ଦିଆସ୍ ନାଇ, ମକେ ସସ୍ କଲାଜେ ପାନି ଗୁଡିକ୍ ଦିଆସ୍ ନାଇ । 43ମୁଇ ଅଚିନାର୍ ଅଇ ରଇଲା ବେଲେ ମକେ ଡାକାସ୍ ନାଇ । ମୁଇ ଡୁମ୍ଣ୍ଡା ରଇଲା ବେଲେ ମକେ ବସ୍ତର୍ ପିନ୍ଦାଆସ୍ ନାଇ । ଜର୍ ଦାରାଅଇ ଆରି ବନ୍ଦି ଅଇ ରଇଲା ବେଲେ, ମକେ ଜତନ୍ କରାସ୍ନାଇ ।”
44ସେମନ୍ ସେଡ୍କିବେଲେ ମକେ କଇବାଇ, “ମାପ୍ରୁ, ତମ୍କେ ଆମେ କେବେ ବୁକେ ରଇଲା ବେଲେ, ସସେ ରଇଲା ବେଲେ, ଅଚିନାର୍ ରଇଲା ବେଲେ, ଡୁମ୍ଣ୍ଡା ରଇଲା ବେଲେ ଆରି ଜର୍ ଦାରାଇଅଇ ବନ୍ଦି ରଇବାଟା ଦେକି ତମ୍କେ ସାଇଜ କରୁ ନାଇ ?”
45ସତଇସେ ମୁଇ କଇବି, “ଏ ସାନ୍ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍କେ ସାଇଜ କର୍ବାକେ ମନାକର୍ବା ବେଲେ, ତମେ ମକେ ସାଇଜ କରାସ୍ ନାଇ । 46ଏନ୍ତାରି ଲକ୍ମନ୍କେ ସବୁ ଦିନର୍ ପାଇ ଡଣ୍ଡ୍ ମିଲ୍ସି ଆରି ଦରମ୍ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।”


