Select a Verse

ମାତ୍ର ଏବେ ମୋʼ ଅପେକ୍ଷା ଅଳ୍ପ ବୟସ୍କ

1ଲୋକମାନେ ମୋତେ ପରିହାସ କରନ୍ତି,

ସେମାନଙ୍କ ପିତୃଗଣକୁ ମୁଁ ଆପଣା ପଲରକ୍ଷକ କୁକ୍କୁରମାନଙ୍କ ସଙ୍ଗେ ରଖିବାକୁ ତୁଚ୍ଛ କଲି।

2ସେମାନଙ୍କ ବାହୁ ବଳରେ ମୋହର କି ଲାଭ ହୋଇପାରେ?

ସେମାନଙ୍କର ଯୌବନାବସ୍ଥା ନଷ୍ଟ ହୋଇଅଛି।

3ସେମାନେ ଦରିଦ୍ରତା ଓ ଦୁର୍ଭିକ୍ଷ ସକାଶୁ କ୍ଷୀଣ ହୋଇଅଛନ୍ତି;

ସେମାନେ ଘୋର ଉତ୍ସନ୍ନତା ଓ ଶୂନ୍ୟତାରେ ଶୁଷ୍କ ଭୂମି ଚର୍ବଣ କରନ୍ତି।

4ସେମାନେ ବୁଦା ନିକଟରୁ ବିସ୍ୱାଦୁ ଶାକ ଛିଣ୍ଡାନ୍ତି

ଓ ରେତମବୃକ୍ଷର ମୂଳ ସେମାନଙ୍କର ଆହାର।

5ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ତାଡ଼ିତ ହୋଇଅଛନ୍ତି;

ଲୋକେ ଯେପରି ଚୋର ପଛରେ, ସେହିପରି ସେମାନଙ୍କ ପଛରେ ଡାକ ପକାନ୍ତି।

6ସେମାନେ ଉପତ୍ୟକାର ବିଦୀର୍ଣ୍ଣ ସ୍ଥାନରେ,

ପୃଥିବୀର ଓ ଶୈଳର ଗର୍ତ୍ତରେ ବାସ କରିବେ।

7ସେମାନେ ବୁଦା ମଧ୍ୟରେ ଗଧ ପରି ବୋବାନ୍ତି;

ସେମାନେ ବିଛୁଆତି ବନରେ ରୁଣ୍ଡ ହୁଅନ୍ତି।

8ସେମାନେ ମୂର୍ଖମାନଙ୍କର ସନ୍ତାନ, ସେମାନେ ଇତର ଲୋକଙ୍କ ସନ୍ତାନ;

ସେମାନେ କୋରଡ଼ା ଖାଇ ଦେଶରୁ ତଡ଼ା ଯାଇଥିଲେ।

9ମାତ୍ର ଏବେ ମୁଁ ସେମାନଙ୍କର ଗୀତ ସ୍ୱରୂପ ହୋଇଅଛି;

ହଁ, ମୁଁ ସେମାନଙ୍କର ଗଳ୍ପ ସ୍ୱରୂପ ହୋଇଅଛି।

10ସେମାନେ ମୋତେ ଘୃଣା କରନ୍ତି, ସେମାନେ ମୋʼ ଠାରୁ ଦୂରରେ ଠିଆ ହୁଅନ୍ତି

ଓ ମୋʼ ମୁଖରେ ଛେପ ପକାଇବାକୁ ଡରନ୍ତି ନାହିଁ।

11କାରଣ ସେ ଆପଣା ରଜ୍ଜୁ ଫିଟାଇ ମୋତେ କ୍ଳେଶ ଦେଇଅଛନ୍ତି,

ଏଣୁ ସେମାନେ ମୋʼ ସାକ୍ଷାତରେ ଲଗାମ ପକାଇ ଦେଇଅଛନ୍ତି।

12ଇତର ଲୋକମାନେ ମୋʼ ଡାହାଣରେ ଉଠନ୍ତି;

ସେମାନେ ମୋʼ ଚରଣ ଘୁଞ୍ଚାଇ ଦିଅନ୍ତି

ଓ ସେମାନେ ମୋʼ ବିରୁଦ୍ଧରେ ବିନାଶର ମାର୍ଗ ପ୍ରସ୍ତୁତ କରନ୍ତି।

13ସେମାନେ ମୋର ପଥ ବିଗାଡ଼ନ୍ତି,

ସେମାନେ ମୋʼ ବିପଦକୁ ଅଗ୍ରସର କରନ୍ତି,

ଅନ୍ୟର ସହାୟ ବିନା ହିଁ ସେମାନେ ତାହା କରନ୍ତି।

14ସେମାନେ ପ୍ରଶସ୍ତ ଭଗ୍ନ ସ୍ଥାନ ଦେଇ ଆସିଲା ପରି ଆସନ୍ତି;

ଉଜାଡ଼ ମଧ୍ୟରେ ସେମାନେ ମୋʼ ଉପରେ ଗଡ଼ନ୍ତି।

15ନାନା ପ୍ରକାର ତ୍ରାସ ମୋତେ ଆକ୍ରମଣ କରିଅଛି,

ତାହାସବୁ ବାୟୁ ପରି ମୋହର ସମ୍ଭ୍ରମ ଘଉଡ଼ାନ୍ତି

ଓ ମୋହର ମଙ୍ଗଳ ମେଘ ପରି ବହି ଯାଇଅଛି।

16ପୁଣି, ଏବେ ମୋର ପ୍ରାଣ ମୋʼ ଅନ୍ତରରେ ତରଳି ଯାଏ;

କ୍ଳେଶର ଦିନସବୁ ମୋତେ ଆକ୍ରାନ୍ତ କରିଅଛି।

17ରାତ୍ରିକାଳରେ ମୋହର ଅସ୍ଥିସବୁ ମୋʼ ଭିତରେ ବିଦ୍ଧ ହୁଏ

ଓ ମୋତେ କାମୁଡ଼ିବା ବେଦନାସବୁ ବିଶ୍ରାମ ନିଅନ୍ତି ନାହିଁ।

18ମୋʼ ରୋଗର ପ୍ରବଳ ଶକ୍ତିରେ ମୋʼ ବସ୍ତ୍ର ବିକୃତ ହୋଇଅଛି;

ତାହା ମୋʼ ଜାମାର ଗଳାପଟି ପରି ମୋତେ ଚାରିଆଡ଼େ ବାନ୍ଧେ।

19ସେ ମୋତେ ପଙ୍କରେ ପକାଇ ଦେଇଅଛନ୍ତି,

ଆଉ ମୁଁ ଧୂଳି ଓ ଭସ୍ମ ପରି ହୋଇଅଛି।

20ମୁଁ ତୁମ୍ଭକୁ ଡାକ ପକାଉଅଛି, ମାତ୍ର ତୁମ୍ଭେ ମୋତେ ଉତ୍ତର ଦିଅ ନାହିଁ।

ମୁଁ ଠିଆ ହେଲେ, ତୁମ୍ଭେ ମୋତେ ଅନାଉଅଛ।

21ତୁମ୍ଭେ ମୋʼ ପ୍ରତି ନିଷ୍ଠୁର ହୋଇ ଯାଇଅଛ;

ତୁମ୍ଭେ ଆପଣା ହସ୍ତର ପରାକ୍ରମରେ ମୋତେ ତାଡ଼ନା କରୁଅଛ।

22ତୁମ୍ଭେ ମୋତେ ବାୟୁକୁ ଉଠାଇ ତହିଁ ଉପରେ ମୋତେ ଚଢ଼ାଉଅଛ

ଓ ବତାସରେ ତୁମ୍ଭେ ମୋତେ ଲୀନ କରୁଅଛ।

23କାରଣ ମୁଁ ଜାଣେ, ତୁମ୍ଭେ ମୋତେ ମୃତ୍ୟୁୁ ନିକଟକୁ

ଓ ସମସ୍ତ ପ୍ରାଣୀ ପାଇଁ ନିରୂପିତ ଗୃହକୁ ଆଣିବ।

24ନିଶ୍ଚୟ ଭଗ୍ନ ଗୃହାଦିର ରାଶି ବିରୁଦ୍ଧରେ ସେ ଆପଣା ହସ୍ତ ବଢ଼ାଇବେ ନାହିଁ;

ତଥାପି ଜଣେ ଆପଣା ବିନାଶ ସମୟରେ ଏହିସବୁ ବିଷୟ ସକାଶୁ ଆର୍ତ୍ତନାଦ କରିପାରେ।

25ମୁଁ କି ଦୁଃଖରେ ଥିବା ଲୋକ ପାଇଁ ରୋଦନ କଲି ନାହିଁ?

ଦୀନହୀନ ପାଇଁ କି ମୋହର ପ୍ରାଣ ଦୁଃଖିତ ନୋହିଲା?

26ମୁଁ ମଙ୍ଗଳ ଅପେକ୍ଷା କରିବା ବେଳେ ଅମଙ୍ଗଳ ଉପସ୍ଥିତ ହେଲା;

ପୁଣି, ମୁଁ ଆଲୁଅର ଅପେକ୍ଷା କଲା ବେଳେ ଅନ୍ଧକାର ଆସିଲା।

27ମୋʼ ଅନ୍ତ୍ର ଫୁଟେ, ବିଶ୍ରାମ କରେ ନାହିଁ;

ମୋʼ ଉପରେ କ୍ଳେଶର ଦିନସବୁ ଉପସ୍ଥିତ ହୋଇଅଛି।

28ମୁଁ ସୂର୍ଯ୍ୟ ବିନା ମ୍ଳାନ ହୋଇ ବୁଲୁଥାଏ;

ମୁଁ ସମାଜରେ ଠିଆ ହୋଇ ସାହାଯ୍ୟ ପାଇଁ ଆର୍ତ୍ତନାଦ କରେ।

29ମୁଁ ଶୃଗାଳମାନଙ୍କର ଭାଇ

ଓ ଉଷ୍ଟ୍ରପକ୍ଷୀଙ୍କର ସଙ୍ଗୀ ହୋଇଅଛି।

30ମୋହର ଚର୍ମ କୃଷ୍ଣବର୍ଣ୍ଣ ହୋଇ ମୋʼ ଠାରୁ ଝଡ଼ି ପଡ଼ୁଅଛି

ଓ ମୋʼ ଅସ୍ଥିସବୁ ଉତ୍ତାପରେ ଦଗ୍ଧ ହେଉଅଛି।

31ତେଣୁ ମୋହର ବୀଣା ଶୋକରେ

ଓ ମୋହର ବଂଶୀ କ୍ରନ୍ଦନକାରୀମାନଙ୍କ ସ୍ୱରରେ ପରିଣତ ହୋଇଅଛି।