Select a Verse

କନ୍ୟାର ସ୍ୱପ୍ନ

1ଯାହାଙ୍କୁ ମୋହର ପ୍ରାଣ ପ୍ରେମ କରେ,

ତାଙ୍କୁ ମୁଁ ରାତ୍ରିକାଳେ ଆପଣା ଶଯ୍ୟାରେ ଖୋଜିଲି;

ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ।

2“ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି,

ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ,

ତାଙ୍କୁ ମୁଁ ଗଳି ଗଳି ଓ ଛକେ ଛକେ ଖୋଜିବି;”

ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ।

3ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ;

ମୁଁ ସେମାନଙ୍କୁ ପଚାରିଲି, ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ,

“ତାଙ୍କୁ କି ତୁମ୍ଭେମାନେ ଦେଖିଲ?”

4ସେମାନଙ୍କୁ ଛାଡ଼ିବାର ଅଳ୍ପକ୍ଷଣ ଉତ୍ତାରେ

ଯାହାଙ୍କୁ ମୋʼ ପ୍ରାଣ ପ୍ରେମ କରେ, ତାଙ୍କୁ ପାଇଲି;

ମୁଁ ଆପଣା ମାତୃଗୃହକୁ ଓ ମୋʼ ଗର୍ଭଧାରିଣୀଙ୍କ ଅନ୍ତଃପୁରକୁ ନ ଆଣିବା ପର୍ଯ୍ୟନ୍ତ

ତାଙ୍କୁ ଧରି ରଖିଲି, ଆଉ ଯିବାକୁ ଦେଲି ନାହିଁ।

5ହେ ଯିରୂଶାଲମର କନ୍ୟାଗଣ,

ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ,

ପ୍ରେମର ବାସନା ନୋହିବା ପର୍ଯ୍ୟନ୍ତ

ତୁମ୍ଭେମାନେ ପ୍ରେମକୁ ଜଗାଅ ନାହିଁ, କି ଉତ୍ତେଜିତ କର ନାହିଁ।

ବିବାହକୁ ବରର ଆଗମନ

6ଗନ୍ଧରସ ଓ କୁନ୍ଦୁରୁରେ,

ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ

ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ?

7ଦେଖ, ତାହା ଶଲୋମନଙ୍କର ବିଶ୍ରାମର ଆସନ;

ତହିଁ ଚତୁର୍ଦ୍ଦିଗରେ ଇସ୍ରାଏଲୀୟ ବୀରଗଣ ମଧ୍ୟରୁ ଷାଠିଏ ଜଣ ବୀର ଅଛନ୍ତି।

8ସେମାନେ ସମସ୍ତେ ଖଡ୍ଗଧାରୀ ଓ ଯୁଦ୍ଧରେ ନିପୁଣ;

ରାତ୍ରିକାଳର ଆଶଙ୍କା ହେତୁ ପ୍ରତ୍ୟେକର କଟିଦେଶରେ ସ୍ୱ ସ୍ୱ ଖଡ୍ଗ ବନ୍ଧା ଥାଏ।

9ଶଲୋମନ ରାଜା ଆପଣା ପାଇଁ ଲିବାନୋନର କାଷ୍ଠର ଏକ ପାଲିଙ୍କି ନିର୍ମାଣ କଲେ।

10ସେ ତହିଁର ସ୍ତମ୍ଭସବୁ ରୂପାର,

ତହିଁର ତଳଭାଗ ସୁନାର, ତହିଁର ଆସନ ବାଇଗଣିଆ ରଙ୍ଗର କଲେ,

ତହିଁର ମଧ୍ୟଭାଗ ଯିରୂଶାଲମର କନ୍ୟାମାନଙ୍କର ଦ୍ୱାରା ପ୍ରେମରେ ମଣ୍ଡିତ।

11ହେ ସିୟୋନର କନ୍ୟାଗଣ, ତୁମ୍ଭେମାନେ ବାହାରେ ଯାଇ ମୁକୁଟଭୂଷିତ ଶଲୋମନ ରାଜାଙ୍କୁ ଦେଖ,

ତାଙ୍କ ବିବାହ ଦିନରେ ଓ ତାଙ୍କ ମନର ଆନନ୍ଦ ଦିନରେ

ତାଙ୍କ ମାତା ତାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି।