Select a Verse

କନ୍ୟାର ସୌନ୍ଦର୍ଯ୍ୟକୁ ବରର ପ୍ରଶଂସା

1ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ ତୁମ୍ଭେ ସୁନ୍ଦରୀ;

ଓଢ଼ଣା ତଳେ ତୁମ୍ଭ ଚକ୍ଷୁ କପୋତ ତୁଲ୍ୟ;

ତୁମ୍ଭର କେଶ ଗିଲୀୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।

2ତୁମ୍ଭର ଦନ୍ତ-ପଂକ୍ତି ନୂତନ ଲୋମକଟା,

ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି,

ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।

3ତୁମ୍ଭର ଓଷ୍ଠାଧର ସିନ୍ଦୂର ବର୍ଣ୍ଣ ସୂତା ତୁଲ୍ୟ

ଓ ତୁମ୍ଭର ମୁଖ ମନୋହର;

ଓଢ଼ଣି ତଳେ ତୁମ୍ଭ ଗାଲ ଡାଳିମ୍ବ ତୁଲ୍ୟ।

4ତୁମ୍ଭର ଗଳଦେଶ ଅସ୍ତ୍ରାଗାର ନିମନ୍ତେ ନିର୍ମିତ ଦାଉଦଙ୍କ ଦୁର୍ଗ ତୁଲ୍ୟ,

ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ,

ବୀରଗଣର ସକଳ ଢାଲ ଟଙ୍ଗାଗଲା।

5କଇଁଫୁଲ ବନରେ ଚରିବାର ଯାଆଁଳା ହରିଣ ଛୁଆ ତୁଲ୍ୟ ତୁମ୍ଭର ସ୍ତନଯୁଗଳ।

6ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ

ମୁଁ ଗନ୍ଧରସ-ପର୍ବତ ଓ କୁନ୍ଦୁରୁ-ଉପପର୍ବତକୁ ଯିବି।

7ହେ ମୋହର ପ୍ରିୟେ, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ;

ତୁମ୍ଭଠାରେ କୌଣସି ଖୁଣ ନାହିଁ।

8ହେ ମୋହର କନ୍ୟେ, ମୋʼ ସଙ୍ଗେ ଲିବାନୋନରୁ,

ମୋʼ ସଙ୍ଗେ ଲିବାନୋନରୁ ଆସ;

ଅମାନାର ଶୃଙ୍ଗରୁ,

ସନୀର୍‍ ଓ ହର୍ମୋଣର ଶୃଙ୍ଗରୁ,

ସିଂହମାନଙ୍କ ଗହ୍ୱରରୁ,

ଚିତାବାଘମାନଙ୍କ ପର୍ବତରୁ ତଳକୁ ଆସ।

9ହେ ମୋହର ପ୍ରିୟେ, ହେ ମୋହର କନ୍ୟା, ତୁମ୍ଭେ ମୋହର ଚିତ୍ତ ହରଣ କରିଅଛ;

ତୁମ୍ଭେ ଆପଣାର ଏକଦୃଷ୍ଟିରେ,

ଆପଣା ଗଳାର ଏକ ହାରରେ ମୋହର ଚିତ୍ତ ହରଣ କରିଅଛ।

10ହେ ମୋହର ପ୍ରିୟେ, ମୋହର କନ୍ୟା, ତୁମ୍ଭର ପ୍ରେମ କିପରି ମନୋରମ!

ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ!

ପୁଣି, ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ!

11ହେ ମୋହର କନ୍ୟା, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ;

ମଧୁ ଓ ଦୁଗ୍ଧ ତୁମ୍ଭ ଜିହ୍ୱା ତଳେ ଥାଏ;

ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।

12ମୋହର ପ୍ରିୟେ, ମୋହର କନ୍ୟା ଏକ ରୁଦ୍ଧ ଉଦ୍ୟାନ;

ଏକ ରୁଦ୍ଧ ନିର୍ଝର, ଏକ ମୁଦ୍ରାଙ୍କିତ ଜଳାକାର ସଦୃଶ୍ୟ।

13ତୁମ୍ଭର ପଲ୍ଲବ ବହୁମୂଲ୍ୟ ଫଳବିଶିଷ୍ଟ ଡାଳିମ୍ବ ଉପବନ;

ମେହେନ୍ଦି, ସୁଗନ୍ଧି ବୃକ୍ଷର ଚାରାବିଶିଷ୍ଟ,

14ଜଟାମାଂସୀ ଓ କୁଙ୍କୁମ,

ବଚ ଓ ଦାରୁଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷବିଶିଷ୍ଟ ଗନ୍ଧରସ

ଓ ଅଗୁରୁ, ସର୍ବପ୍ରକାର ପ୍ରଧାନ ପ୍ରଧାନ ସୁଗନ୍ଧି ବୃକ୍ଷବିଶିଷ୍ଟ।

15ତୁମ୍ଭେ ଉଦ୍ୟାନସମୂହର ଜଳାକର,

ଅମୃତ ଜଳର କୂପ

ଓ ଲିବାନୋନରୁ ପ୍ରବାହିତ ସ୍ରୋତ ସଦୃଶ୍ୟ।

ଏକତ୍ର ପ୍ରେମୋଦ୍ୟାନରେ କନ୍ୟା

16ହେ ଉତ୍ତରୀୟ ବାୟୁ, ଜାଗ; ହେ ଦକ୍ଷିଣ ବାୟୁ, ଆସ;

ମୋʼ ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ, ଏଥିପାଇଁ ତହିଁ ଉପରେ ବହ।

ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ

ଓ ଆପଣାର ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।